Welcome to Social Welfare Association Gamein - SWAG - An Expression of Attitude and Confidence

Saturday, 15 August 2026

ସ୍ୱାଧୀନତା ଦିବସରେ SWAGର ମେଧା ସମ୍ମାନ: ଗମେଇଁରେ ତ୍ରିନାଥ ମହାପାତ୍ର ସ୍ମାରକୀ ପୁରସ୍କାର ପ୍ରଦାନ


ଗମେଇଁ: ସ୍ୱାଧୀନତା ଦିବସ ଅବସରରେ ଗମେଇଁ ଗ୍ରାମରେ ସୋସିଆଲ୍ ୱେଲଫେୟାର୍ ଆସୋସିଏସନ୍ ଗମେଇଁ (SWAG) ପକ୍ଷରୁ ବିଭିନ୍ନ ଶିକ୍ଷାମୂଳକ ଓ ସାମାଜିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ସ୍ୱର୍ଗତ ତ୍ରିନାଥ ମହାପାତ୍ରଙ୍କ ସ୍ମୃତିରେ ‘ତ୍ରିନାଥ ମହାପାତ୍ର ସ୍ମାରକୀ ମେଧାବୀ ପୁରସ୍କାର–୨୦୨୬’ ପ୍ରଦାନ କରାଯାଇଥିଲା।


ଗମେଇଁ ଗ୍ରାମର କେନ୍ଦ୍ରସ୍ଥଳରେ SWAG ସଭାପତି ରାକେଶ ନାୟକ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଗମେଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗମ୍ଭାରୀଡିହିସ୍ଥିତ ବାଲଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ସହ ଦେଶଭକ୍ତିମୂଳକ ସଙ୍ଗୀତ ପରିବେଷଣ କରିଥିଲେ।


 











ଏହି କାର୍ଯ୍ୟକ୍ରମକୁ ନିରଞ୍ଜନ ମହାପାତ୍ର ସଂଚାଳନ କରିଥିଲେ। ପରେ ବିଭିନ୍ନ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା। ସ୍ୱର୍ଗତ ତ୍ରିନାଥ ମହାପାତ୍ରଙ୍କ ସ୍ମୃତିକୁ ସମ୍ମାନ ଜଣାଇବା ସହ ଗମେଇଁ ଗ୍ରାମର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ତାଙ୍କ ପରିବାର ପକ୍ଷରୁ ପ୍ରତିବର୍ଷ ଏହି ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଉଛି। ଦଶମ ଓ ଦ୍ୱାଦଶ ଶ୍ରେଣୀର ଅନ୍ତିମ ପରୀକ୍ଷାରେ ଗମେଇଁ ଗ୍ରାମରୁ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯାଏ।


ଚଳିତ ବର୍ଷ ଦଶମ ଶ୍ରେଣୀରେ ଉତ୍କୃଷ୍ଟ ଫଳାଫଳ ପାଇଁ ଧୃତି ମଧୁଲିକା ଏବଂ ଦ୍ୱାଦଶ ଶ୍ରେଣୀରେ ସର୍ବୋତ୍କୃଷ୍ଟ ଫଳାଫଳ ପାଇଁ ଶୁଭଶ୍ରୀ ନାୟକ ଙ୍କୁ ତ୍ରିନାଥ ମହାପାତ୍ର ସ୍ମାରକୀ ମେଧାବୀ ପୁରସ୍କାର–୨୦୨୬ ରେ ସମ୍ମାନିତ କରାଯାଇଥିଲା।


ଏଥିସହ SWAGର ଶିକ୍ଷାମୂଳକ ପଦକ୍ଷେପ ଅଧୀନରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀର ଶ୍ରେଷ୍ଠ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେମାନଙ୍କ ଶିକ୍ଷାଗତ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା।


କାର୍ଯ୍ୟକ୍ରମରେ ଆଉ ଏକ ଉଲ୍ଲେଖନୀୟ ଶିକ୍ଷାମୂଳକ ପଦକ୍ଷେପ ଘୋଷଣା କରାଯାଇଥିଲା। ଆଇଆଇଟି ରୁର୍କିର ଅର୍ଥନୀତି ବିଭାଗର ପ୍ରଫେସର ଫାଲ୍ଗୁନୀ ପଟ୍ଟନାୟକ ପ୍ରତିବର୍ଷ ଜଣେ ମେଧାବୀ ଏବଂ ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ଥିବା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାୟିତ୍ୱ ନେବାକୁ ଘୋଷଣା କରିଥିଲେ। ଚୟନ ହେଉଥିବା ଛାତ୍ରଙ୍କ ସ୍ନାତକ ପର୍ଯ୍ୟାୟ ପର୍ଯ୍ୟନ୍ତ ଶିକ୍ଷା ଖର୍ଚ୍ଚ ବହନ କରାଯିବ।







ପ୍ରଫେସର ଫାଲ୍ଗୁନୀ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ବିଶ୍ୱନାଥ ପଟ୍ଟନାୟକ ଓ ଗୋକୁଳ ମହାରଣା କାର୍ଯ୍ୟକ୍ରମରେ ଯୋଗଦେଇ ଦଶମ ଶ୍ରେଣୀର ଛାତ୍ରୀ ରଶ୍ମିତା  ପ୍ରଧାନଙ୍କୁ ପାଠ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ରଶ୍ମିତାଙ୍କ ଉଚ୍ଚଶିକ୍ଷା ଜାରି ରଖିବା ପାଇଁ ଟ୍ୟୁସନ୍ ଫି’ ସମେତ ଆବଶ୍ୟକୀୟ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା।


ଶିକ୍ଷାକୁ ସମାଜର ବିକାଶର ମୁଖ୍ୟ ମାଧ୍ୟମ ଭାବେ ଗ୍ରହଣ କରି ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେବା, ପ୍ରତିଭାର ବିକାଶ କରିବା ଏବଂ ଆର୍ଥିକ ଅସୁବିଧା ଯେପରି ଉଚ୍ଚଶିକ୍ଷାରେ ବାଧା ନ ହୁଏ, ସେଥିପାଇଁ SWAG ଓ ସମ୍ପୃକ୍ତ ପରିବାର ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ଗ୍ରାମବାସୀ, ଅଭିଭାବକ ଓ ଶିକ୍ଷକମାନେ ପ୍ରଶଂସା କରିଥିଲେ।

No comments:

Post a Comment

ତ୍ରିନାଥ ମହାପାତ୍ର ସ୍ମାରକୀ ପୁରସ୍କାରରେ ସମ୍ମାନିତ ହେଲେ ଧୃତି ଓ ଶୁଭଶ୍ରୀ, ମେଧାବୀ ଛାତ୍ରୀ ରଶ୍ମିତାଙ୍କ ଶିକ୍ଷା ଦାୟିତ୍ୱ ନେବେ ପ୍ରଫେସର ଫାଲ୍ଗୁନୀ ପଟ୍ଟନାୟକ

ଗମେଇଁ: ସ୍ୱର୍ଗତ ତ୍ରିନାଥ ମହାପାତ୍ରଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ‘ତ୍ରିନାଥ ମହାପାତ୍ର ସ୍ମାରକୀ ମେଧାବୀ ପୁରସ୍କାର–୨୦୨୬’ ଚଳିତ ବର୍ଷ ଦଶମ ଶ୍ରେଣୀରେ ଉତ୍କୃ...