ଗମେଇଁ: ସ୍ୱର୍ଗତ ତ୍ରିନାଥ ମହାପାତ୍ରଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ‘ତ୍ରିନାଥ ମହାପାତ୍ର ସ୍ମାରକୀ ମେଧାବୀ ପୁରସ୍କାର–୨୦୨୬’ ଚଳିତ ବର୍ଷ ଦଶମ ଶ୍ରେଣୀରେ ଉତ୍କୃଷ୍ଟ ଫଳାଫଳ ପାଇଁ ଧୃତି ମଧୁଲିକା ଏବଂ ଦ୍ୱାଦଶ ଶ୍ରେଣୀରେ ସର୍ବୋତ୍କୃଷ୍ଟ ଫଳାଫଳ ପାଇଁ ଶୁଭଶ୍ରୀ ନାୟକଙ୍କୁ ପ୍ରଦାନ କରାଯାଇଥିଲା। ସ୍ୱାଧୀନତା ଦିବସ ଅବସରରେ ସୋସିଆଲ୍ ୱେଲଫେୟାର୍ ଆସୋସିଏସନ୍ ଗମେଇଁ (SWAG) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପୁରସ୍କାର ବିତରଣ କରାଯାଇଥିଲା।
ଏଥିସହ SWAGର ଶିକ୍ଷାମୂଳକ ପଦକ୍ଷେପ ଅଧୀନରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀର ଶ୍ରେଷ୍ଠ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେମାନଙ୍କ ଶିକ୍ଷାଗତ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଆଉ ଏକ ଉଲ୍ଲେଖନୀୟ ଶିକ୍ଷାମୂଳକ ପଦକ୍ଷେପ ଘୋଷଣା କରାଯାଇଥିଲା। ଆଇଆଇଟି ରୁର୍କିର ଅର୍ଥନୀତି ବିଭାଗର ପ୍ରଫେସର ଫାଲ୍ଗୁନୀ ପଟ୍ଟନାୟକ ପ୍ରତିବର୍ଷ ଜଣେ ମେଧାବୀ ଏବଂ ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ଥିବା ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାୟିତ୍ୱ ନେବାକୁ ଘୋଷଣା କରିଥିଲେ। ଚୟନ ହେଉଥିବା ଛାତ୍ରଙ୍କ ସ୍ନାତକ ପର୍ଯ୍ୟାୟ ପର୍ଯ୍ୟନ୍ତ ଶିକ୍ଷା ଖର୍ଚ୍ଚ ବହନ କରାଯିବ।
ପ୍ରଫେସର ଫାଲ୍ଗୁନୀ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ବିଶ୍ୱନାଥ ପଟ୍ଟନାୟକ ଓ ଗୋକୁଳ ମହାରଣା କାର୍ଯ୍ୟକ୍ରମରେ ଯୋଗଦେଇ ଦଶମ ଶ୍ରେଣୀର ଛାତ୍ରୀ ରଶ୍ମିତା ପ୍ରଧାନଙ୍କୁ ପାଠ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ତାଙ୍କ ଉଚ୍ଚଶିକ୍ଷା ଜାରି ରଖିବା ପାଇଁ ଟ୍ୟୁସନ୍ ଫି’ ସମେତ ଆବଶ୍ୟକୀୟ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା।
ଶିକ୍ଷାକୁ ସମାଜର ବିକାଶର ମୁଖ୍ୟ ମାଧ୍ୟମ ଭାବେ ଗ୍ରହଣ କରି ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେବା ଏବଂ ଆର୍ଥିକ ଅସୁବିଧା ଯେପରି ଉଚ୍ଚଶିକ୍ଷାରେ ବାଧା ନ ହୁଏ, ସେଥିପାଇଁ SWAG ଓ ସମ୍ପୃକ୍ତ ପରିବାର ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ଗ୍ରାମବାସୀ, ଅଭିଭାବକ ଓ ଶିକ୍ଷକମାନେ ପ୍ରଶଂସା କରିଥିଲେ।

No comments:
Post a Comment